କରୋନା ତୋର କରୁଣା ହେଉ ନାହିଁ କି ? ଦୁଃଖ ଦୁର୍ଦ୍ଦଶାରେ ମଣିଷ ସମାଜକୁ ଠେଲି ଦେଇ ତୁ ଶାନ୍ତି ପାଇପାରୁକି ? ଚୀନର ଉହାନ ସହରରେ ଆରମ୍ଭ ହୋଇ ସାରା ବିଶ୍ୱକୁ କବଳିତ କରି ମହାମାରୀର ଆଖ୍ୟା ନେଇ ଗର୍ବ ଅହଂକାରରେ ପୁରି ରହିଛୁ । ଜନସାଧରଣମାନଙ୍କୁ ଶ୍ରୀହୀନ ନିସ୍ତବ୍ଧ କରିଦେଇ ବାହା ବାହା ନେଉଛୁ । ଏହା ତୋର ଭ୍ରମ ଏବଂ ଭ୍ରାନ୍ତ ଧାରଣା । ଦାଦନ ଦୁଃଖୀ ହୁଅନ୍ତୁ ଅବା ପେଟ ନାଟର ମୂଳ ଭଗବାନ ଚାଷୀ , ଗରିବ ହୁଅନ୍ତୁ ଅବା ଧନୀ , ପୌରପରିଷଦର କର୍ମକର୍ତ୍ତା ହୁଅନ୍ତୁ ଅବା କଠିନ ପରିଶ୍ରମୀ ସୁରକ୍ଷାକର୍ମୀ , ରାଜନେତା ହୁଅନ୍ତୁ ଅବା ସମାଜସେବୀ , ବିଜ୍ଞାନୀ ହୁଅନ୍ତୁ ଅବା ପ୍ରକୃତ ଯୋଦ୍ଧା ଭଗବାନ ଚିକିତ୍ସା ବିଜ୍ଞାନୀ ଆଜି ତୋତେ ସମାଜ ବକ୍ଷରୁ ଠେଲିପେଲି କାଢ଼ି ଫୋପାଡ଼ି ଦେବା ପାଇଁ ସମସ୍ତେ ଏକ ଏବଂ ଶତ ପ୍ରତିଶତ ସଂକଳ୍ପବଦ୍ଧ । ଅଘୋଷିତ ସାମାଜିକ ଯୁଦ୍ଧରେ ଜନସାଧାରଣ ହିଁ ପ୍ରକୃତ ଯୋଦ୍ଧା । ବଦଳିଛି ଆମ ମାନସିକତା , ବଦଳିଛି ଆମ ପରିଚୟ ଏବଂ ଚାଲିଛି ଆପ୍ରାଣ ଉଦ୍ୟମ । ସୁସ୍ଥ ମାନସିକତା ହିଁ ପ୍ରକୃତ ସଚେତନତା । ଯେକୌଣସି ଦୁର୍ବିପାକ କିମ୍ବା ଅସାଧାରଣ ପରିସ୍ଥିତି ଏବଂ ମହାମାରୀରୁ ରକ୍ଷାପାଇବାର ଅମୋଘ ଅସ୍ତ୍ର ସଚେତନତା । କିଛି ସଚେତନତାମୂଳକ ନିୟମ ଗୁଡିକୁ ମାନିବା ସର୍ବାଦୌ ଗ୍ରହଣୀୟ , ବରଣୀୟ , କରଣୀୟ ଏବଂ ସ୍ପୃହଣୀୟ । ମୁହଁରେ ମାସ୍କ କିମ୍ଵା ରୁମାଲ ବାନ୍ଧିବା ନିତ୍ୟାନ୍ତ ଜରୁରୀ । କାରଣ କାଶ ଏବଂ ଛିଙ୍କ ହେଲେ ଅନ୍ୟ ସଂସ୍ପର୍ଶରେ ଆସିବ ନାହିଁକି ; ଅନ୍ୟର କାଶ , ଛିଙ୍କ ତୁମ ସଂସ୍ପର୍ଶରେ ଆସିବ ନାହିଁ । ପରିବେଶରେ ଥିବା ବାୟୁବାହିତ କ୍ଷତିକାରି ପଦାର୍ଥରୁ ବି ରକ୍ଷା ପାଇପାରିବେ । ବ୍ୟବହାର କରୁଥିବା ମାସ୍କର ବହାରପଟକୁ ଛୁଅନ୍ତୁ ନାହିଁ । ଯଦି ଛୁଅନ୍ତି ତେବେ ହାତକୁ ଭଲଭାବେ ସାବୁନରେ ଧୁଅନ୍ତୁ । ମାସ୍କକୁ ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ । କାରଣ ସେଥିରେ ବ୍ୟାକ୍ଟେରିଆ ବାଢ଼ିବାର ସମ୍ଭାବନା ଯଥେଷ୍ଟ ଥାଏ । ସୁରକ୍ଷା ପାଇଁ ଚଷମା ବ୍ୟବହାର କରନ୍ତୁ । ସାଧାରଣତଃ ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବା ସହ ସଂକ୍ରମିତ ବ୍ୟକ୍ତି ଠାରୁ ୨ ମିଟର ଦୂରତା ରକ୍ଷା କରି ନିଜକୁ ସୁରକ୍ଷିତ ରଖନ୍ତୁ । ପରିସ୍କାର ପରିଚ୍ଛନ୍ନ ରହିବା ସହ ହାତ ଧୂଆ ନିୟମ ପାଳନ କରିବା ସର୍ବାଦୌ ଗ୍ରହଣୀୟ । ଅସୁସ୍ଥ ବ୍ୟକ୍ତିର ଲାଳ ଅନ୍ୟ ବ୍ୟବହାରିକ ଉପକରଣରେ ଲାଗିଥାଇପାରେ , ସଂକ୍ରମିତ ବ୍ୟକ୍ତିର ହାତ ଟେବୁଲ , କବାଟ ଶିକୁଳି , ପେନ୍ , କପ୍ , ଡିଜିଟାଲ ଉପକରଣ , ଲିଫ୍ଟ ବଟନ୍ , ପାହାଚ ବାଡ଼ ଏବଂ ମାସ୍କ ର ବହିର୍ଭାଗ । ଯଦି ଏମିତି କିଛି ସଂସ୍ପର୍ଶରେ ଆସନ୍ତି ଯଥାସମ୍ଭବ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଚେଷ୍ଟା କରନ୍ତୁ । ଜ୍ୱର , ବେକରେ ସାମାନ୍ୟ ଯନ୍ତ୍ରଣା , ମୁଣ୍ଡବିନ୍ଧା , ଦେହରେ ଯନ୍ତ୍ରଣା , ଆଳସ୍ୟପଣ , ଶୁଖିଲା ଓ କଫ କାଶ , ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବାନ୍ତି ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଖରା ସଂସ୍ପର୍ଶରେ ଆସିବା , ସଫା ଲୁଗା ବିନ୍ଧିବା , ଫୁଟା ପାଣି ପିଇବା ଏବଂ ଗାର୍ଗିଲିଂ କରିବା ଉଚିତ । ଅନ୍ୟମାନଙ୍କ ସହ କରମର୍ଦନ , ଆଖି ନାକ ପାଟିକୁ ବାରମ୍ବାର ସ୍ପର୍ଶ , ସର୍ବସାଧାରଣ ସ୍ଥାନରେ ଛେପ ଖଙ୍କାର ପକାଇବ ଅନୁଚିତ । ସବୁ ରୋଗର ଏକମାତ୍ର ମହୌଷଧି ଶାରୀରିକ ଅଭ୍ୟାସ ବ୍ୟାୟାମ , ଯୋଗ ଓ ପ୍ରାଣାୟମ । ଘରେ ରୁହନ୍ତୁ , ସୁସ୍ଥ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ ।ଯଦି ଆମେ ସଚେତନ ରହିବା , ଉପଯୁକ୍ତ ସମୟରେ ଉପଯୁକ୍ତ କାର୍ଯ୍ୟ କରିବା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିନିୟମକୁ ମାନିବା ତାହା ହେଲେ କରୋନା ଭଳି ବିଭିନ୍ନ ମାରାତ୍ମକ ଭୂତାଣୁ ଆସିଲେ ବି ଆମର କିଛି କରିପାରିବ ନାହିଁ । ସତ୍ୟ କଥା ହେଲା ଏ ସବୁ କଲେ ହେଁ ହାରିବ କରୋନା ଜିତିବା ଆମେ ।
ଆଶିଷ କୁମାର ସ୍ୱାଇଁ , ସାବିତ୍ରୀ ଭବନ ,ସିଆରା , ପୁରୀ ମୋ-୮୧୧୪୩୩୪୪୯୬ ।


